ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ?
ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
ରକ୍ଷା ବନ୍ଧନ ତିଥି ପାଳନକୁ ନେଇ ରହିଛି କି ଦ୍ୱନ୍ଦ୍ୱ । ଚଳିତ ବର୍ଷ ଦୁଇ ଦିନକୁ ରହିଛି ପୂର୍ଣ୍ଣିମା ତିଥି । କେବେ ପାଳିବେ ପର୍ବ ? କେବେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ? ଅଗଷ୍ଟ ୨୭ ତାରିଖ ନା ୨୮ ତାରିଖରେ ପାଳନ ହେବ ଗହ୍ମା ପର୍ବ ଓ ରାକ୍ଷୀ ପୂର୍ଣ୍ଣିମା ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମ,୨୭ ତାରିଖରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ସେପଟେ ଘୋଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦିନରେ ହିଁ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳିବାକୁ ଦେଇଛନ୍ତି ପରାମର୍ଶ ।
ଶ୍ରାବଣ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ପାଳନ ହେବ ଗହ୍ମା ପର୍ବ । ଏହିଦିନ ବଳଭଦ୍ର ଜନ୍ମ,ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ହୋଇଥାଏ । ତେବେ ତିଥି ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୨୭ ନା ୨୮ରେ ପାଳନ ହେବ ପର୍ବ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଶ୍ରୀମନ୍ଦିରରେ କିନ୍ତୁ ୨୮ ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ । ପଞ୍ଜିକା ଅନୁଯାୟୀ ଆସନ୍ତା ଅଗଷ୍ଟ ୨୭ ତାରିଖଠାରୁ ଅର୍ଥାତ୍ ୨୭ ତାରିଖ ସକାଳ ୯ଟା ୭ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିବ । ଅଗଷ୍ଟ ୨୮ ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣିମା ତିଥି ଅପସରି ଯାଇଥିବ । ଅର୍ଥାତ୍ ୨୮ ତାରିଖରେ ମାତ୍ର ଅଳ୍ପ କେଇ ଘଣ୍ଟା ପୂର୍ଣ୍ଣିମା ତିଥି ରହିବ ।
ଘରେ ଘରେ କେବେ ପାଳିନ ହେବ ରାକ୍ଷୀ ପୂର୍ଣ୍ଣିମା ?
ମୁକ୍ତି ମଣ୍ଡପ ପଣ୍ଡିତ ସଭା ସମ୍ପାଦକ ପ୍ରଫୁଲ୍ଲ ମିଶ୍ର କହିଛନ୍ତି, " ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଦୟ କାଳୀନ ଅର୍ଥାତ୍ ଗୋଟିଏ ଦିନର ସୂର୍ଯ୍ୟ ଉଦୟ ସମୟରେ ଯେଉଁ ତିଥି ରହିଥାଏ ସେହି ତିଥି ପାଳନ ହୁଏ । ସେହି କ୍ରମରେ ଶ୍ରୀମନ୍ଦିରରେ କେବଳ ୨୮ ତାରିଖରେ ହିଁ ପାଳନ ହେବ ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ସୁଦର୍ଶନ ଚାରି ଆଶ୍ରମ ବିଜେ ନୀତି । ଯେହେତୁ ସ୍କନ୍ଦ ପୂରଣ ଅନୁଯାୟୀ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ବିଚାରକୁ ନିଆଯାଏ, ଏଣୁ ଏଠାରେ କେବଳ ୨୮ ତାରିଖରେ ପର୍ବ ପାଳନ କରାଯିବ । ଅନ୍ୟ ସମସ୍ତ ସ୍ଥାନରେ ବଳଭଦ୍ରଙ୍କ ଜନ୍ମ ୨୭ ଅଗଷ୍ଟ ଗୁରୁବାର ପାଳନ କରାଯିବା ଉଚିତ । କାରଣ ବଳଭଦ୍ରଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା । କର୍ମକାଳ ଅନୁଯାୟୀ, ୨୭ ତାରିଖ ଦିନ ହିଁ ବଳଭଦ୍ର ଜନ୍ମ, ରକ୍ଷା ବନ୍ଧନ ପାଳିବା ଉଚିତ ।"
ଦ୍ଵନ୍ଦ୍ଵ ଦୂର କଲେ ଜ୍ୟୋତିର୍ବିଦ
ପୂର୍ବରୁ ଏମିତି ଅନେକ ବାର ତିଥିକୁ ନେଇ ଦ୍ୱନ୍ଦ ଦେଖାଯାଇଥିବା ବେଳେ, ଏ ସମ୍ପର୍କରେ କଣ ରହିଛି ଜ୍ୟୋତିର୍ବିଦ ଓ ଗବେଷକ ମାନଙ୍କ ମତ ସେ ସମ୍ପର୍କରେ ଜାଣିବା । ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ ଅନୁଯାୟୀ ଯେହେତୁ ୨୮ ତାରିଖ ସକାଳ ୯ଟା ପରେ ଅର୍ଥାତ୍ ଦିନ ଆରମ୍ଭର ମାତ୍ର କେଇ ଘଣ୍ଟା ପରେ ତିଥି ନଥିବ । ତେଣୁ ୨୮ ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରିବା ଉଚିତ ନୁହେଁ । କିନ୍ତୁ ଶ୍ରୀମନ୍ଦିର ପରମ୍ପରାରେ, ସେହିଦିନ ହିଁ ଉଦୟ ପର୍ବ ଅନୁଯାୟୀ ବଳଭଦ୍ର ଜନ୍ମ କେବଳ ଶ୍ରୀମନ୍ଦିରରେ ପାଳିତ ହେବ, ଏଥିରେ ଦ୍ୱନ୍ଦ୍ୱ ନାହିଁ । ଘରେ ଘରେ ପର୍ବ ୨୭ ତାରିଖରେ ପାଳିତ ହେବା ଉଚିତ ବୋଲି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି
Comments
Post a Comment