ହରି ଶଙ୍କର

 




🚩*ହରି ଶଙ୍କର*🏴

କଲମ ଶିଳ୍ପୀ ନୀଲେଶ କୁମାର 

ବାଣୀ କ୍ଷେତ୍ର ଭୁବନେଶ୍ୱର 

କିଟ୍ ଏବଂ କିସ୍ ବିଶ୍ଵ ବିଦ୍ୟାଳୟ 

କ୍ୟାମ୍ପସ ଅଟଇ ୧୦



ବଲାଙ୍ଗୀର ଜିଲ୍ଲା ସୁଖ୍ୟାତି ବଢାଏ

ପ୍ରସିଦ୍ଧ ହରି ଶଙ୍କର

ହରି ହର ଙ୍କର ଏକତ୍ର ପୂଜନ

ହୋଇ ଥାଏ ଏହିଠାର ।୧।


ମନ୍ଦିରଟି ଏକ ନିଆରା ଢଙ୍ଗରେ

ଏଠାରେ ନିର୍ମିତ ହୋଇ

କାରୁ କାର୍ଯ୍ୟ ପୁଣି ଅନୁପମ ଦିଶେ

ପ୍ରଭୁ ହରି ହର ପାଇଁ ।୨।


ଚୌହାନ ବିଜଳ ପତ୍ନୀ ଦୂଲ୍ଲଭାଙ୍କ

ଉଦ୍ୟମେ ହେଲା ନିର୍ମିତ 

ଗନ୍ଧମାର୍ଦ୍ଦନର ଦକ୍ଷିଣ ଦିଗରେ

ହରି ହର ଯେ ପୂଜିତ ।୩।


ପର୍ବତ ଉପରୁ ଝରଣା ଝରଇ

କୁଳୁ କୁଳୁ ନାଦ କରି

 କଳା ପଥରରେ ନିରିମଳ ଜଳ

 ତଳକୁ ପଡ଼ଇ ଝରି ।୪।


ଅପ ରୂପା ଶୋଭା କି ଉପମା ଦେବା

ଦର୍ଶକ ବିଭୋର ହୁଏ

ହରି ଶଙ୍କରର ଦର୍ଶନୀୟ ରୂପ

ଭୁଲେନି ଦେଖିଛି ଯିଏ ।୫।


ବିଷ୍ଣୁ ଦେବଙ୍କର ତୁଳସୀ ପତ୍ରକୁ

ଶିବଙ୍କର ବେଲ ପତ୍ର

ହରି ଶଙ୍କରରେ ତୁଳସୀ ସାଥୀରେ

ବେଲ ପତ୍ର ପ୍ରଚଳିତ ।୬।


ନରସିଂହ ଚତୁର୍ଦ୍ଦଶୀ ପ୍ରଭୁଙ୍କର

ଅଟଇ ବଡ ପରବ

ସେଦିନ ସନ୍ଧ୍ୟାରେ ପିଟକନ୍ଦା ଭୋଗ

ପୂଜା ବିଧିର ଦରବ।୭।


ଯେତେକ ସଂକ୍ରାନ୍ତି ସବୁ ଏକାଦଶୀ

ମାଘ ମେଳା ଓ ଜାଗର

ମକର ସଂକ୍ରାନ୍ତି ବଡ ପର୍ବ ପୁଣି

ଭିଡ ଲାଗଇ ଭକ୍ତର ।୮।


ସକାଳ ଧୂପରେ ନାନା ଫଳ ଭୋଗ

ମଧ୍ୟାହ୍ନରେ ଅନ୍ନ ଭୋଗ

 ଭାବ ଭକତିରେ ପ୍ରଭୁଙ୍କୁ ଡାକିଲେ

ମିଳଇ ଦର୍ଶନ ଯୋଗ । ୯।


ଭକ୍ତ ମନୋବାଞ୍ଛା ପୁରଣ କରିବ

ହେ ପ୍ରଭୁ ହରି ଶଙ୍କର

ତୁମ ପାଦ ତଳେ ଶରଣ ମାଗୁଛି

ଅଧମ ନିଲେଶ କୁମାର।୧୦।

Comments