ହେ ମଣିଷ ସମାଜ

  ହେ ମଣିଷ ସମାଜ

ବିରଚିତ ✒️ କଲମ ଶିଳ୍ପୀ ନୀଲେଶ କୁମାର



ହେ! ମଣିଷ ସମାଜ, 

  ଜାଗ ଜ୍ଞାନ ପ୍ରଭାତେ,

ମୋହ ତମସା ଘେରି 

     ମନ ରହି ଅନ୍ଧକାରେ ll 

ଦୃଶ୍ୟ ପରେ ଅଦୃଶ୍ୟ 

     ଗୁପ୍ତ ତତ୍ତ୍ୱ ଥାଏ,

ଆତ୍ମା ଦର୍ପଣେ ତାହା 

   ସତ୍ୟ ରୂପ ଦେଖାଏ ll 

ପଞ୍ଚଭୂତ ମଣ୍ଡଳେ 

   ବ୍ରହ୍ମର ଲୀଳା ଖେଳ,

ଆକାଶେ ଅନନ୍ତତା,

    ଅଗ୍ନିରେ ତେଜ ମେଳ ll 

ଜଳେ କରୁଣା ଧାରା, 

     ପବନେ ପ୍ରାଣ ଗତି,

ଭୂମି ଧରେ ସହିଷ୍ଣୁ 

     ଶାଶ୍ୱତ ଧୈର୍ୟ ଶକ୍ତି ll 

ସୃଷ୍ଟିର ଗୁପ୍ତ ରହସ୍ୟ 

      ଚିନ୍ତନେ ଖୋଲେ,

ଅଣୁ ମଧ୍ୟେ ବ୍ରହ୍ମାଣ୍ଡ 

     ଶୂନ୍ୟ ମଧ୍ୟେ ଦୋଳେ ll 

ବିଜ୍ଞାନ ଯାହା କହେ, 

      ଶାସ୍ତ୍ର ତାହିଁ ସାର,

ଜ୍ଞାନ,ଧ୍ୟାନ ସମନ୍ୱୟ 

        ମୋକ୍ଷର ଦ୍ୱାର ll 

ମନ୍ଦିର ଗୋପୁରେ ନୁହେଁ

        ଭକ୍ତିର ପରିମାଣ,

ଶୁଦ୍ଧ ଭାବ ମନେ ଥାଏ 

        ନିତ୍ୟ ଭଗବାନ ll 

ଅହଂକାର ମଣିଷର 

        ଅଜ୍ଞାନର ଚିହ୍ନ,

ନମ୍ରତାର ପଥେ ମିଳେ 

        ଆତ୍ମଜ୍ଞାନ ଲକ୍ଷ୍ୟ ll 

ଧନ, ଯଶ, ରୂପ ସବୁ 

       ଛାୟାର ଖେଳ,

କର୍ମ ହିଁ ସତ୍ୟ ଯେଉଁଥିରେ

         ଜୀବନର ମେଳ ll 

ଛଳ ମୁଖ ପଛରେ

     କର୍ମର ଗୁପ୍ତ ଲେଖା,

କାଳ ଆସି ଶେଷେ 

      ସତ୍ୟ କରେ ଦେଖା ll 

ସୂର୍ଯ୍ୟ ତେଜ ମୂଳ 

    ଜୀବନ ଧାରା ସବୁ,

ସପ୍ତରଙ୍ଗ ମଧ୍ୟରେ ନୀଳ

        ଶାନ୍ତିର ରୂପ ll 

ନୀଳ ତତ୍ତ୍ୱ ଚେତନା 

  ମନକୁ କରେ ଶୀତଳ,

ଏହି ରଙ୍ଗେ ଲୁଚି ଅଛି 

   ବ୍ରହ୍ମର ସଂକେତ ଅମଳ ll 

କାଳ ଚକ୍ର ଘୁରେ 

   ନିରନ୍ତର ଗତିରେ,

ଯୁଗ ପରିବର୍ତ୍ତନ ହୁଏ 

      କର୍ମର ନୀତିରେ ll 

ପୁରାତନ ତତ୍ତ୍ୱ ସହ 

   ନୂତନ ବିଚାର ଯୋଗ,

ଏହି ସମନ୍ୱୟେ ମାନବର 

        ଉନ୍ନତି ଯୋଗ ll 

ହେ ମଣିଷ ସମାଜ,

    ଧର ସତ୍ୟ ପଥ,

ଜ୍ଞାନ-ଧର୍ମ-କର୍ମେ 

     ଜୀବନର ଶୁଭ ରଥ ll 

ଆତ୍ମା ଭିତରେ ଲୁଚିଥିବା 

      ଦିବ୍ୟ ଆଲୋକ,

ତାହାକୁ ଜାଗେଇବା 

    ମାନବ ଜନ୍ମର ଲକ୍ଷ୍ୟ ll 

🦋 -: ସମାପ୍ତ :- 🦋

Post a Comment

Previous Post Next Post