ମୋର ଖବର )ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଭାଲେର ଠାରେ ଅନୁଷ୍ଠିତ ୧ଠ୬ତମ ଧନୁଯାତ୍ରାର ଆଜି ହେଉଛି ତୃତୀୟ ଦିବସ । ମହାଭାରତର ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ର ଆଧୁନିକ ଯୁଗରେ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ତଥା ଭାଲେର ଧନୁଯାତ୍ରା ସାଂସ୍କୃତିକ ପରିଷଦର ଆୟୋଜନରେ ଏହି ମହୋତ୍ସବ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଧୁମଧାମରେ ପାଳିତ ହେବ । ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ରାଜକିଶୋର ନାଏକଙ୍କ ପରିଚାଳନା ଓ ତତ୍ତ୍ୱାବଧାନରେ ଭାଲେର ଧନୁଯାତ୍ରା ମହୋତ୍ସବର ପ୍ରତ୍ୟେକ ଦିନ ଆଖପାଖ ଗାଁ ର ଦେଖଣାହାରୀଙ୍କ ଭିଡ ଜମୁଛି । ମୋନାଲିସା ମହାପାତ୍ରଙ୍କ ପାରାୟଣ, ଖୋର୍ଦ୍ଧାର କଳାକାର ମାନଙ୍କ ଭଜନ ସଂଧ୍ୟା ସଙ୍ଗକୁ ଦଣ୍ଡନୃତ୍ୟ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବା ସହ ନିଜ ଭିତରେ ଆଧ୍ୟାତ୍ମ୍ୟବାଦ ସୃଷ୍ଟି କରିଛି । ଆଜି ଦୋଲି ସୁଆଣି ଓ ଅଷ୍ଟମଲ୍ଲ ବଧ ଦୃଶ୍ୟ ଓ ରାତିରେ କାଳୀୟ ପ୍ରେରଣ ର ଦୃଶ୍ୟକୁ ମଞ୍ଚରେ କଳାକାର ମାନଙ୍କ ମନଛୁଆଁ ଅଭିନୟ ବେଶ ଉପଭୋଗ୍ୟ ଥିଲା । ଏହି ଅବସରରେ ସଂଧ୍ୟରେ ଅନୁଷ୍ଠିତ ଦରବାରରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ ଓ ପି.ଡବ୍ଲୁ.ଡି ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା ଯୋଗ ଦେଇ ମହୋତ୍ସବକୁ ସୁନ୍ଦର ଭାବରେ ପରିଚାଳନା କରୁଥିବା ଭାଲେର ଧନୁଯାତ୍ରା ଆୟୋଜନ କମିଟିକୁ ପ୍ରଶଂସା କରିଥିଲେ । ଆଜି ଯାଜପୁରର ଦାଶକାଠିଆ ପାଲା ଓ କୁଟେନପାଲିର ଭବାନୀ ଶଙ୍କର କଳାପରିଷଦର କଳାକାର ମାନଙ୍କ ନୃତ୍ୟ ପରିବେଷଣ ଲୋକଙ୍କ ମନ ମୋହିଥିଲା ।
