ଛୁଟି ମଞ୍ଜୁର ପାଇଁ ରୋଷେୟାଙ୍କଠୁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡିବସିଲା ଭିଜିଲାନ୍ସ , ଆଉ ତା’ପରେ…


ଦାରିଙ୍ଗବାଡି/ ଫୁଲବାଣୀ, ୩୧।୧୦ (ଅରୁଣ ସାହୁ, ରିଙ୍କୁ ରାଉତ): ଜଣେ ଲେଡି କୁକ-କମ-ଆଟେଣ୍ଡାଣ୍ଟଙ୍କ ଛୁଟି ମଞ୍ଜୁର କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ଫୁଲବାଣୀ ଭିଜିଲାନ୍ସ ଟିମ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୁକ -କମ-ଆଟେଣ୍ଡାଣ୍ଟ ସୁରେଖା ପ୍ରଧାନ(୩୧)ଙ୍କ ଛୁଟି ମଞ୍ଜୁର କରିବା ପାଇଁ ପ୍ରଧାନଶିକ୍ଷକ କୁମରମଣି ମଳିକ ଅର୍ଥ ଦାବି କରିଥିଲେ । ଏଥିପାଇଁ ସେ ବାରମ୍ବାର ଫୋନରେ ମଧ୍ୟ ଅର୍ଥ ଦାବି କରିଆସୁଥିଲେ । ଏହାର ପ୍ରମାଣକୁ ସୁରେଖା ନିଜ ମୋବାଇଲ କଲ ରେକର୍ଡରେ ରଖିଥିଲେ। ପରେ ସେ ଫୁଲବାଣୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନଶିକ୍ଷକ ନିଜ ଫୋନ ପେ’ରେ ଏହି ଅର୍ଥ ଦାବି କରିଥିଲେ । ଦାବି ମୁତାବକ ଅଭିଯୋଗକାରୀ ସୁରେଖା ପ୍ରଧାନ ଶିକ୍ଷକଙ୍କୁ ନିଜ ଫୋନ ପେ’ରୁ ୪ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢ଼ାଉ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ କାବୁ କରିବା ସହ ତାଙ୍କଠାରୁ ମୋବାଇଲ ଫୋନ ଓ ଅନ୍ୟ ଆବଶ୍ୟକ ପ୍ରମାଣ ଜବତ କରିଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ମାମଲା (୧୬ /୨୫)ରୁଜୁ କରାଯାଇ ଅଧିକା ତଦନ୍ତ କରାଯାଉଥିବା ଭିଜିଲାନ୍ସ ଡିଏସପି ମହାନ୍ତି କହିଛନ୍ତି। ଡିଏସପି ଆହୁରି କହିଛନ୍ତି, ସେ ଉକ୍ତ ବିଦ୍ୟାଳୟରେ ରହୁଥିବା ଛାତ୍ରୀମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦେଇ ଚଞ୍ଚକତା କରିବା ସହ ବିଦ୍ୟାଳୟରେ ରହିଥିବା ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ଠାରୁ ମଧ୍ୟ ଲାଞ୍ଚ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ରହିଛି। ସୂଚନା ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟଟି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ଦ୍ୱାରା ରହିଛି ।

Post a Comment

Previous Post Next Post