ଚର୍ଚ୍ଚାରେ ମୁଖ୍ୟ ସଚିବଙ୍କ ଦିଲ୍ଲୀ କ୍ୱାର୍ଟର୍ସ

ଭୁବନେଶ୍ବର: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନାମରେ ଦୁଇଟି ସରକାରୀ ବାସଭବନ ଆବଣ୍ଟନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ବରରେ ଓ ଅନ୍ୟଟି ନୂଆଦିଲ୍ଲୀରେ ଥିବା ଜଣାପଡ଼ିଛି। ଜାନୁୟାରୀ ୨୪ ତାରିଖରେ ଆହୁଜାଙ୍କୁ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ମୁଖ୍ୟ ପ୍ରମୁଖ ଆବାସିକ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା। ଏଥିପାଇଁ ଓଡ଼ିଶା ସରକାରଙ୍କ ପାଇଁ ଉଦ୍ଦିଷ୍ଟ କୋଟାରୁ ନୂଆଦିଲ୍ଲୀରେ କେନ୍ଦ୍ର ସହରାଞ୍ଚଳ ବିକାଶ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏକ କ୍ୱାର୍ଟର୍ସ ମିଳିଛି। ତେବେ ଦିଲ୍ଲୀରେ ଥିବା କ୍ୱାର୍ଟର୍ସରେ କିଏ ରହୁଛି, ଏହାର ତଥ୍ୟ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନ ଥିବା ସୂଚନା ଅଧିକାର ଆଇନ(ଆରଟିଆଇ) ତଥ୍ୟରୁ ସ୍ପଷ୍ଟ ହୋଇଛି। ଯାଜପୁର ଜିଲାର ସୀମାନ୍ତ କୁମାର ପାତ୍ର ଆରଟିଆଇ ଜରିଆରେ ଏ ନେଇ ତଥ୍ୟ ମାଗିଥିଲେ। ନୂଆଦିଲ୍ଲୀସ୍ଥିତ ଆହୁଜାଙ୍କ କ୍ୱାର୍ଟର୍ସ ସମ୍ପର୍କରେ ତାଙ୍କୁ ଅଧିକ ତଥ୍ୟ ପ୍ରଦାନ କରାଯାଇନାହିଁ।
ଏନେଇ ପାତ୍ର ଅଭିଯୋଗ କରିଛନ୍ତି ଯେ, ନୂଆଦିଲ୍ଲୀରେ ଆହୁଜାଙ୍କୁ ଟାଇପ୍‌ ୬ କ୍ବାର୍ଟର୍ସ ଆବଣ୍ଟିତ ହୋଇଛି। ସେଥିରେ ତାଙ୍କ ପରିବାର ଲୋକ ରହୁଛନ୍ତି। ତାଙ୍କୁ ସରକାରୀ ବାସଭବନ ସୁବିଧା ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ମୁଖ୍ୟ ପ୍ରମୁଖ ଆବାସିକ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆହୁଜାଙ୍କୁ ମୁଖ୍ୟ ପ୍ରମୁଖ ଆବାସିକ ଆୟୁକ୍ତ ପଦରୁ ଅବ୍ୟାହତି ଦେଇ ତାଙ୍କ କ୍ବାର୍ଟର୍ସ ପ୍ରତ୍ୟାହାର ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ପାତ୍ର ନିବେଦନ କରିଛନ୍ତି।

Post a Comment

Previous Post Next Post