ବଲାଙ୍ଗୀର , (ମୋର ଖବର ) ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ଉଦୟ ନଗରର ନଦିମ ସୋଲାଙ୍କିଙ୍କ ଏକ ମୋବାଇଲ ଦୋକାନ ରହିଛି । ବଲାଙ୍ଗୀର ସହର ଜଲାରାମ ମନ୍ଦିର ପାଖରେ 'ପ୍ରିନ୍ସ ମୋବାଇଲ' ନାମରେ ରହିଥିବା ଏହି ଦୋକାନରୁ ଗତ ୨ଠ ତାରିଖ ଦିନ କିଛି ଦୁର୍ବୃତ୍ତ ସଟର୍ ଭାଙ୍ଗି ଦୋକାନରେ ଥିବା ପ୍ରାୟ ୧୫ଟି ମୋବାଇଲ ଓ ବିଭିନ୍ନ ମୋବlଇଲ ଏସେସେରିଜ୍ ଚୋରୀ କରି ନେଇଯାଇଥିଲେ । ଏ ନେଇ ଦୋକାନ ମାଲିକ ନଦିମ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବଲାଙ୍ଗୀର ଟାଉନଥାନା ଇନିସପେକ୍ଟର ଶ୍ରୀ ଏ.କେ. ସାହୁଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍ ସହରର ର ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଥିଲେ । ଆଜି ମୋବାଇଲ ଦୋକାନ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଲକ୍ଷ୍ମୀଜୋର୍ ପଡାର ବାସୁଦେବ ନାଥ ଓ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଢ଼ୁଲୁସର ଗାଁ ର ପ୍ରତାପ ଦେହେରୀ(୧୯) ନାମକ ୨ଜଣ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମୋଡେଲର ୧୩ଟି ମୋବାଇଲ ଫୋନ୍ ଜବତ୍ କରିଛି । ଅଭିଯୁକ୍ତ ପ୍ରତାପ ଦେହେରୀଙ୍କ ନାଁ ରେ ପୁର୍ବରୁ ମଧ୍ୟ ବଲାଙ୍ଗୀର ଟାଉନ୍ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଏହି ଦୁଇ ଯୁବକଙ୍କ ନାଁ ରେ ଟାଉନ ଥାନା କେଶ ନମ୍ବର ୬୧ଠ, ଦଫା ୩୩୧(୪), ୩ଠ୫(ଏ), ୩୧୭(୨)/୩(୫) ବିଏନ୍ ଏସ ଏକ୍ଟରେ ମାମଲା ରୁଜୁ ହୋଇଛି ।